ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଛି ସାମୁଦ୍ରିକ ବାତ୍ୟା ‘ମୁରାସୁ’। ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ କରିଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା। ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ବାତ୍ୟାର ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ପ୍ରକାଶମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନେକ ଜିଲ୍ଲାରେ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ତେବେ ବାତ୍ୟା ‘ମୁରାସୁ’ର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ଆଶଙ୍କା ନାହିଁ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସେହିପରି ନଭେମ୍ବର ୩ ତାରିଖରେ ମଧ୍ୟ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନଭେମ୍ବର ୪ ତାରିଖରେ କୋରାପୁଟ ଓ ମାଲକାନଗିରିର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅନ୍ୟପଟେ ବାତ୍ୟା ଆଗକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ଆକଳନ କରାଯାଇଛି। ପ୍ରତିକୂଳ ପାଣିପାଗ ଯୋଗୁଁ ଆନ୍ଧ୍ର, ତାମିଲନାଡୁ ଓ ପୁଡୁଚେରୀରେ ଯାତାୟାତ ଏବଂ ଜନଜୀବନ ପ୍ରଭାବିତ ହୋଇଛି। ତେବେ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ।


